ପୁରୀ, ୨୮/୯(ଇମିସ): ଆଜି ରାତି ପ୍ରାୟ ୮ଟା ସମୟରେ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏମ୍ପାୟର ହୋଟେଲ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍‌ଆରୋହୀଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଟ୍ରାଫିକ୍‌ ଥାନା ପୁଲିସ ଶବକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିବା ବେଳେ ବାଇକ୍‌ଟିକୁ ଜବତ କରି ମୃତକଙ୍କ ପରିବାରକୁ ଡକାଇ ଶବକୁ ଚିହ୍ନଟ କରାଇ ଏକ ମାମଲା ରୁଜୁ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ରାତି ପ୍ରାୟ ୮ଟା ସମୟରେ ବଳିଆପଣ୍ଡା ଥାନା ମେରାଇନ ଡ୍ରାଇଭ୍‌ ରୋଡ୍‌ରେ ଓଡି-୧୩-କେ-୨୬୨୨ ନମ୍ବର ବିଶିଷ୍ଟ ୟାମାହା ଫିଜେରୋ ବାଇକ୍‌ରେ ବାସେଳିସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ର ଇଞ୍ଜିନିୟର କମଲେଶ ମହାପାତ୍ର ଯାଉଥିଲେ। ସେ ଏମ୍ପାୟର ହୋଟେଲ ସମ୍ମୁଖରେ ପହଞ୍ଚିବା ବେଳକୁ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ କ୍ଷୀପ୍ରଗତିରେ ଚମ୍ପଟ ମାରିଥିଲା। ଗାଡ଼ି ଧକ୍କାରେ କମଲେଶ ଛିଟିକି ପଡ଼ି ସାମ୍ନାରୁ ଆସୁଥିବା ଏକ ଇନୋଭା ଗାଡ଼ି ଉପରେ ପଡ଼ିଯାଇଥିଲେ। ମାତ୍ର ଉକ୍ତ ଗାଡ଼ିଚାଳକ ମଧ୍ୟ ଘଟଣାସ୍ଥଳରୁ ଚାଲିଯାଇଥିଲା। କମଲେଶଙ୍କ ଦୁର୍ଘଟଣା ପ୍ରତି କାହାରି ସମବେଦନା ନଥିଲା। ଖବର ପାଇ ଟ୍ରାଫିକ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କମଲେଶଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ଡାକ୍ତର କ‌ମଲେଶଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟ୍ରାଫିକ୍‌ ଥାନା ପୁଲିସ କମଲେଶଙ୍କ ପରିବାରକୁ ଜଣାଇଥିଲା। ଖବର ପାଇ ତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଚିହ୍ନଟ କରିଥିଲେ। କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏନେଇ ଟ୍ରାଫିକ୍ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। | SambadEpaper
Logo