ଭୁବନେଶ୍ବର, ୧୦/୭ (ଇମିସ): ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ନିର୍ମାଣ ସରିଛି। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ମଳ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ଶିକ୍ଷିବିତ୍‌ମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି, ୨୦୧୭ ମସିହାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକର ସିହାଗାଁରେ ୭୫ ଏକର ସରକାରୀ ଜମିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ କ୍ୟାମ୍ପସ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପରିସର ମଧ୍ୟରେ ଛାତ୍ରାବାସ ଓ ଛାତ୍ରୀ ନିବାସ ପୂର୍ଣ୍ଣାଙ୍ଗ ହୋଇଗଲାଣି, କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ନବନିର୍ମିତ କୋଠାଗୁଡ଼ିକ ଭୂତକୋଠିରେ ପରିଣତ ହେବାକୁ ଯାଉଛି। ସେଠାରେ ଗଛଲତା ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। କୋଟି କୋଟି ଟଙ୍କାରେ ନିର୍ମିତ କୋଠା କାମରେ ଲାଗୁନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ଥାନାଭାବ କାରଣରୁ ବିଗତ ସରକାର ଦ୍ୱିତୀୟ କ୍ୟାମ୍ପସର ପରିକଳ୍ପନା କରିଥିଲେ। ସରକାର ସେଠାରେ ଗ୍ରାମାଞ୍ଚଳରେ ବୈଷୟିକ ଶିକ୍ଷା ପ୍ରଦାନ ପାଇଁ ଏମ୍‌ବିଏ, ଗ୍ରାମୀଣ ପରିଚାଳନାରେ ମାଷ୍ଟର ଡିଗ୍ରୀ, ବିଏସ୍‌ସି ନର୍ସିଂ ଓ ସମାଜସେବାରେ ସ୍ନାତକୋତ୍ତର ଶିକ୍ଷାଦାନ ପାଇଁ ଯୋଜନା ରଖିଛନ୍ତି। ଏଥିମଧ୍ୟରୁ ଚଣ୍ଡିଖୋଲ ବିବି କଲେଜରେ ଅସ୍ଥାୟୀ ଭାବରେ ବିଏସ୍‌ସି ନର୍ସିଂ ପାଠ ପଢ଼ାଯାଉଛି। ନୂତନ କ୍ୟାମ୍ପସକୁ କାର୍ଯ୍ୟକ୍ଷମ ‌ କରିବା ଦିଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ସରକାର ଦୃଷ୍ଟି ଦେଲେ ଦୀର୍ଘଦିନର ସ୍ବପ୍ନ ସାକାର ହେବାସହ ଗ୍ରାମାଞ୍ଚଳର ଶହଶହ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ ବୋଲି ସେମାନେ କହିଛନ୍ତି। | SambadEpaper
Logo